Matthew 13

ବୁଣାଳୀର ଦୃଷ୍ଟାନ୍ତ

(ମାର୍କ. 4:1-9; ଲୂକ. 8:4-8)

1ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ରକୂଳରେ ବସିଲେ । 2ସେଥିରେ ତାହାଙ୍କ ପାଖରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି, ଲୋକସମୂହ କୂଳରେ ଠିଆ ହୋଇ ରହିଲେ ।

3ଆଉ, ସେ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଅନେକ କଥା କହିଲେ ଦେଖ ଜଣେ ବୁଣାଳୀ ବୁଣିବାକୁ ବାହାରିଗଲା । 4ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ । 5ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, 6କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା ।

7ଆଉ କେତେକ କଣ୍ଟାଗଛଗୁଡ଼ାକ ମଝିରେ ପଡ଼ିଲା ପୁଣି, କଣ୍ଟାଗଛଗୁଡ଼ାକ ଉଠି ବାଡ଼ହୋଇ ସେଗୁଡ଼ିକୁ ଚାପି ପକାଇଲା । 8ମାତ୍ର ଅନ୍ୟ କେତେକ ଭଲ ଭୂଇଁ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ କେତେକ ଷାଠିଏ ଗୁଣ କେତେକ ତିରିଶି ଗୁଣ । 9ଯାହାର କାନ ଅଛି ସେ ଶୁଣୁ ।

ଦୃଷ୍ଟାନ୍ତର ଉଦ୍ଦେଶ୍ୟ

(ମାର୍କ. 4:10-12; ଲୂକ. 8: 9,10)

10ଏହାପରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛନ୍ତି ? 11ସେ ଉତ୍ତର ଦେଲେ, କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ । 12ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ ।

13ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି । 14ଆଉ ଯିଶାଇୟଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;


15କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ ।

16କିନ୍ତୁ ଧନ୍ୟ ତୁମ୍ଭମାନଙ୍କର ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ । 17କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହି ସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଶୁଣୁଅଛ, ସେହି ସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ ।

ବୁଣାଳୀ ଦୃଷ୍ଟାନ୍ତର ତାତ୍ପର୍ଯ୍ୟ

(ମାର୍କ. 4:13-20; ଲୂକ. 8:11-15)

18ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ । 19ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ ।

20ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ, 21ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ ।

22ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ । 23କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶିି ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।

ବାଳୁଙ୍ଗାର ଦୃଷ୍ଟାନ୍ତ

24ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣାଯାଇଥିବା ଜଣେ ବ୍ୟକ୍ତିଙ୍କ ସଦୃଶ; 25ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲେ । 26ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା,ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା ।

27ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣ କ’ଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ ? ତେବେ ବାଳୁଙ୍ଗାଗୁଡ଼ିକ କେଉଁଠାରୁ ହେଲା ? 28ସେ ସେମାନଙ୍କୁ କହିଲେ, ଜଣେ ଶତ୍ରୁ ଏହା କରିଅଛି । ପୁଣି, ଦାସମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କ’ଣ ଆପଣଙ୍କର ଇଚ୍ଛା ?

29କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ । 30ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଚାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ ।

ସୋରିଷ ଦାନାର ଦୃଷ୍ଟାନ୍ତ

(ମାର୍କ. 4:30-32; ଲୂକ. 13:18,19)

31ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା । 32ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି ।

ଖମୀର ଦୃଷ୍ଟାନ୍ତ

(ଲୂକ. 13: 20,21)

33ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, ସ୍ୱର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ନେଇ ମହଣେ ମଇଦା ମଧ୍ୟରେ ଘୋଡ଼େଇ ରଖିଲା ଆଉ ସେ ଶେଷରେ ସମସ୍ତ ଖମୀରମୟ ହେଲା ।

ଦୃଷ୍ଟାନ୍ତ ଓ ଭାବବାଣୀ

(ମାର୍କ. 4:33,34)

34ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ, 35ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତ ସୃଷ୍ଟି ଦିନରୁ ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା ।

ବାଳୁଙ୍ଗା ଦୃଷ୍ଟାନ୍ତର ତାତ୍ପର୍ଯ୍ୟ

36ପରେ ସେ ଲୋକମାନଙ୍କୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ସ୍ପଷ୍ଟରୂପେ ବୁଝାଇ ଦିଅନ୍ତୁ । 37ସେ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟପୁତ୍ର; 38କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ; 39ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ ।

40ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ । 41ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ, 42ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବେ, ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ । 43ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ । ଯାହାର କାନ ଅଛି, ସେ ଶୁଣୁ ।

ପୋତା ଧନର ଦୃଷ୍ଟାନ୍ତ

44ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା ।

ବହୁମୂଲ୍ୟ ମୁକ୍ତାର ଦୃଷ୍ଟାନ୍ତ

45ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି । 46ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।

ମାଛଧରା ଜାଲର ଦୃଷ୍ଟାନ୍ତ

47ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ । 48ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦ ଗୁଡ଼ାକ ଫୋପାଡ଼ିଦେଲେ ।

49ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ, 50ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ ।

ପୁରାତନ ଓ ନୂତନ ଶିକ୍ଷା

51ତୁମ୍ଭେମାନେ କ’ଣ ଏହି ସବୁ କଥା ବୁଝିଲ ସେମାନେ ତାହାଙ୍କୁ କହିଲେ ହଁ । 52ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ ।

ନାଜରିତରେ ଯୀଶୁ ଉପେକ୍ଷିତ

(ମାର୍କ. 6:1-6; ଲୂକ. 4:16-30)

53ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ପରେ ସେହି ସ୍ଥାନରୁ ଚାଲିଗଲେ ।

54ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା ? 55ଏ କି ସେହି ବଢ଼େଇର ପୁଅ ନୁହେଁ ? ଏହାର ମାଁ ନାମ କ’ଣ ମରିୟମ ନୁହେଁ ? ପୁଣି, ଏହାର ଭାଇମାନଙ୍କ ନାଁ କ’ଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ ? 56ଆଉ, ଏହାର ଭଉଣୀମାନେ କ’ଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାଁନ୍ତି ? ତେବେ ସେ ଏହି ସବୁ କେଉଁଠୁ ପାଇଲା ?

57ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ । ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ ।

58

Copyright information for OriULB